Unknown

 

 

 

 

 

 

 

 

 

ପୁଷ୍ପ-ବାଟିକା

ଚିନ୍ତାମଣି ମହାନ୍ତି

 

ଆହା କେଡ଼େ ମନଲୋଭ ଏ ପୁଷ୍ପବାଟିକା,

ଶୋଭା-ସାହିତ୍ୟର ସାର ସୁବୋଧିନୀ ଟୀକା ।

 

ତୁ ଆଉ ସାହିତ୍ୟ ମୋର ଆହ୍ଲାଦିନୀ କନ୍ୟା,

ଛୁଟାଇଛ ହୃଦୟରେ ଆନନ୍ଦର ବନ୍ୟା ।

 

କରୁଛ ଏ ବୃଦ୍ଧକାଳେ ସୁସେବା ଶୁଶ୍ରୂଷା,

ମିଶିଛନ୍ତି ତୁମ୍ଭ ସଙ୍ଗେ ‘‘ଆଶା’’ ପୁଣି ‘‘ଉଷା ।’’

 

ତୁମେ ଚାରିହେଁ ତ ମୋତେ ରଖିଛ ବଞ୍ଚାଇ,

ହସାଇ, ଖେଳାଇ ପୁଣି ଅବସ୍ଥା ଭୁଲାଇ ।

 

ଜଞ୍ଜାଳରେ ଜଳି କ୍ଳାନ୍ତ ହୁଏ ଯେତେବେଳେ,

ତେତେବେଳେ ତୁମ୍ଭେ ଦୁଃଖ ହରିନିଅ ହେଳେ ।

 

ଯାଏଁ ମୁଁ ପାସୋରି ସବୁ ଯନ୍ତ୍ରଣା ବେଦନା,

ଭୁଞ୍ଜେ ଶାନ୍ତି, ତୁମ୍ଭ ମେଳେ ହୁଏ ଶୁଦ୍ଧମନା ।

 

ସଂସାରରେ ମୁଁ ତୁମ୍ଭର ତୁମ୍ଭେ ମୋର ଏକା,

ଆଉ ଯେତେ ଅଛନ୍ତି, ସେ ଏଣୁ ତେଣୁ ଲେଖା ।

 

ମିଶାଇଛି ତେଣୁ ତୁମ୍ଭ ଜୀବନେ ଜୀବନ,

ବଡ଼ ସୁଖ ଲାଗେ ମୋତେ ତୁମ୍ଭରି ଗହଣ ।

 

ସଂସାରର କୋଳାହଳ ତୀବ୍ର ବିଷମୟ,

କରିଦିଏ ଶ୍ୱାସରୁଦ୍ଧ, ଲାଗେ ବଡ଼ ଭୟ ।

 

ତୁମ୍ଭ ସଙ୍ଗେ ଥାଇ ଦିନେ ଚାଲିଯିବି ଭବୁଁ,

ଜପ, ତପ, ତୀର୍ଥ, ଧର୍ମ ତୁମ୍ଭେ ମୋର ସବୁ ।

 

ଫୁଲସଖୀ

 

ସମ୍ବୋଧିଣ ଶତବର୍ଗେ କହେ ସୂର୍ଯ୍ୟମୁଖୀ,--

‘‘ଗୋ ହେମନ୍ତ-ପାଟରାଣି ସତୀ ଶତବର୍ଗ,

ସୁଷମା ସମ୍ପଦ ତୁମ୍ଭେ-ଉପମା ସୃଷ୍ଟିର,

ଷୋଳକଳା ସାର୍ଥ ତବ ଶତବର୍ଗ ନାମ ।

 

ମଣ୍ଡି ମହୀକଣ୍ଠ ତୁମ୍ଭେ ହେମକଣ୍ଠିହାରେ

ମଧୁର ଶରଦ ଅନ୍ତେ, ଫୁଟିଣ ସର୍ବତ୍ର

କର ଦିଗ ହେମମୟ, ରୂପେ ଆଲୋକିତ,

ତେଣୁ ସେ କାଳର ନାମ ହୋଇଛି ହେମନ୍ତ ।

 

ଲକ୍ଷ୍ମୀଦେବୀଙ୍କର ତୁମ୍ଭେ ପ୍ରିୟ ଅଳଙ୍କାର,

ମାର୍ଗଶିର ଗୁରୁବାରେ  ଗୃହଲକ୍ଷ୍ମୀକୁଳ

ପୂଜନ୍ତି ଲକ୍ଷ୍ମୀଙ୍କ ପାଦ ସମର୍ପି ତୁମ୍ଭଙ୍କୁ

ପୁଷ୍ପାଞ୍ଜଳିରୂପେ, ସ୍ନିଗ୍‍ଧ ମୃଦୁ ଗନ୍ଧ ତବ

ସ୍ୱର୍ଗର ଆଦର ଧନ, ମଧୁର ମନୋଜ୍ଞ ।

 

ଭାବି ମୁଁ ସତତ ତୁମ୍ଭ ସୌଭାଗ୍ୟ ଗୌରବ

ହେବାକୁ ତୁମ୍ଭର ସଖୀ ବଳାଏଁ ମାନସ,

ମାତ୍ର ତାହା କରିବାକୁ ମୁଖରେ ପ୍ରକାଶ

ବାଧା ଦିଏ ଲଜ୍ଜା ଆସି ମୁଖେ ହାତ ଦେଇ,

ବାସ୍ତବରେ କି ଗୁଣେ ବା ତୁମ୍ଭଙ୍କୁ ମୁଁ ଲଛ !’’

ବାଧା ଦେଇ ଶତବର୍ଗ ସ୍ୱର୍ଣ୍ଣାଙ୍ଗୀ ସୁନ୍ଦରୀ

କହିଲାକ ଦୀନକଣ୍ଠେ, ଦଂଶନି ରସନା-

‘‘କହନା କହନା ସଖି, କହନା ଗୋ ଆଉ,

ମଲିଣି ଲଜ୍ଜାରେ ମୁହିଁ ଶୁଣି ତୁମ୍ଭ କଥା,

ରୂପର ପ୍ରଶଂସା ତୁମ୍ଭେ କରୁଛ ମୋହର,

ମାତ୍ର ମୁଁ ଚରଣଘଷା ପଥରକୁ ସରି

ନୁହେଁ ଗୋ ତୁମ୍ଭର, ତୁମ୍ଭେ ଶୋଭାର ଭୂଷଣ,

ଅନନ୍ତ ବକ୍ଷର ତୁମ୍ଭେ କଉସ୍ତୁଭ ମଣି ।

 

ଅନନ୍ତ ସୌନ୍ଦର୍ଯ୍ୟବତୀ ତୁମ୍ଭେ ଏ ଜଗତେ,

ପାଖୁଡ଼ା ତୁମ୍ଭର ସ୍ୱର୍ଣ୍ଣ, କେଶର ମର୍କତ,

ନ ଥାଉ ପଛକେ ବାହ୍ୟ ସୁଗନ୍ଧ ତୁମ୍ଭର,

ମାତ୍ର ତୁମ୍ଭ ଅନ୍ତରର ଅନନ୍ତ ସୁଗନ୍ଧ

ଅତି ମୂଲ୍ୟବାନ, ନାହିଁ ତୁଳନା ତାହାର ।

 

ଭାଙ୍ଗେ ନାହିଁ ଦିବାନିଶି ପତିଧ୍ୟାନ ତବ,

ପଡ଼େ ନାହିଁ ଆଖିପିଞ୍ଛା ବାରେ ମାତ୍ର କେବେ,

ଶୁଭମୟ ଗୁଣ ଏହି ସତୀତ୍ୱ ତୁମ୍ଭର

ସ୍ୱର୍ଗର ଦୁର୍ଲଭ ଧନ, ଆଦର୍ଶ ଜଗତେ ।

 

ସତୀ ତୁମ୍ଭେ, ଦେବେ ସ୍ତବଧ ସତୀ ମହିମାରେ,

ଭାରତର ଧର୍ମଶାସ୍ତ୍ର, କାବ୍ୟ, ଇତିହାସ

ସତୀ ପୁଣ୍ୟ-ଚିତାନଳେ ଚିର-ସମୁଜ୍ଜ୍ୱଳ ।

 

ନାରୀର ସୌନ୍ଦର୍ଯ୍ୟ ସିନା ସତୀତ୍ୱ କେବଳ,

ସେ ଏକା ମହତ୍ତ୍ୱ, ପୁଣି ନାରୀତ୍ୱ ନାରୀର ।

 

କରଇ ସତୀତ୍ୱ ନିଶ୍ଚେ ନୀରୀକୁ ଅମରୀ,

ତା ଯୋଗେ କୁରୂପା ହୁଏ-ଅନିନ୍ଦ୍ୟା ରୂପସୀ ।

 

ସୂର୍ଯ୍ୟମୁଖି, ତୁମ୍ଭର ସେ ଶୁଭଗୁଣ ହେତୁ

ଗୁରୁତୁଲ୍ୟ ପ୍ରାଣ ମଧ୍ୟେ ପୁଜେ ମୁଁ ତୁମ୍ଭଙ୍କୁ ।

 

ନ ଥାଉ ଗୋ ଗନ୍ଧ, କେଉଁ ବଡ଼ପଣ ତହିଁ ?

ଗନ୍ଧହୀନ ବୋଲି ସ୍ୱର୍ଣ୍ଣ ନୁହେଁ ଅବଜ୍ଞାତ ।

 

ନାହିଁ ଗନ୍ଧ ହୀରକର କି କ୍ଷତି ତାହାର,

ଜ୍ୟୋତି ହେତୁ ମୂଲ୍ୟ ସିନା ତାର ସମଧିକ ।

 

ଗନ୍ଧ ପାଇଁ ଏକା ନୁହେଁ ଆଦୃତ କସ୍ତୂରୀ,

ଅଛି ତାର ରୋଗନାଶ ଶକ୍ତି, ପୂଜ୍ୟ ତେଣୁ ।

 

ଫୁଲରାଣି, ସଖୀଯୋଗ୍ୟ ନୁହେଁ ମୁଁ ତୁମ୍ଭର

ତେବେ ତୁମ୍ଭେ ସଖୀ ବୋଲି ସମ୍ବୋଧିବ ଯେବେ

ସେ ମୋର ସୌଭାଗ୍ୟ, ନିଶ୍ଚେ ପରମ ସୌଭାଗ୍ୟ,

ହେବି ତହିଁ କୃତାର୍ଥ ମୁଁ ଧନ୍ୟ, ଗୌରବିତ ।’’

 

ଶତବର୍ଗ ସୁନ୍ଦରୀର ଶୁଣି ଏ ଭାରତୀ,

ହସି ହସି ସୂର୍ଯ୍ୟମୁଖୀ ଭାଷିଲା ଏସନ,--

‘‘ସଖି, ବୁଝିଲି ଗୋ ଏବେ ଉଚ୍ଚ ହୃଦୟର

ଉଦାରତା ତବ, ତୁମ୍ଭେ ପୂଣ୍ୟପ୍ରାଣା ସତୀ ।

 

ମୁଗ୍‍ଧ ମୁଁ ସରଳ ସାଧୁ ବ୍ୟବହାରେ ତବ,

ଆଜିଠାରୁ ପ୍ରିୟସଖୀ ହେଲ ତୁମ୍ଭେ ମୋର ।

 

ଯେତେ ଦିନଯାଏଁ ନଭେ ଚନ୍ଦ୍ର ସୂର୍ଯ୍ୟ ବେନି

ହେଉଥିବେ ଆତଯାତ, ଯେତେ ଦିନଯାଏଁ

ଥିବ ସତ୍ୟ, ଥିବ ଧର୍ମ-ବଞ୍ଚି ଏ ମହୀରେ,

ସତ୍ୟେ ଧର୍ମେ ଅଧିଷ୍ଠିତ ଆବର ଏ ମହୀ,

ତେତେ ଦିନଯାଏଁ ଆମ୍ଭ ବେନିଙ୍କ ସଖୀତ୍ୱେ

ନ ଘଟିବ ଭ୍ରମେ ସ୍ୱପ୍ନେ ବିଚ୍ଛେଦ କଦାପି ।

 

ହୃଦ ମନ ପ୍ରାଣ ଆତ୍ମା ସମର୍ପି ତୁମ୍ଭଙ୍କୁ

ପ୍ରତିଦାନେ ଘେନୁଅଛି ସଖୀତ୍ୱ ତୁମ୍ଭର ।

 

ଆସ ଦୁଇ ସଖୀ ହୋଇ ହାତ ଧରାଧରି,

ପ୍ରେମମୟ ବିଭୁନାମ ଉଚ୍ଚାରି ତୁଣ୍ଡରେ

କରିବା ଶପଥ, କରି ଆତ୍ମ-ବିନିମୟ,

ଆଜିଠାରୁ ହେଲ ତୁମ୍ଭେ ସତୀ ସୂର୍ଯ୍ୟମୁଖୀ,

ହେଲି ମୁହିଁ ଶତବର୍ଗ, ଆଜିଠାରୁ ଏକା

ନ ରହିଲା ଆଉ ଭିନେ ଅସ୍ତିତ୍ୱ କାହାର ।

 

ମିଶିଗଲା ପ୍ରାଣେ ପ୍ରାଣ, ଅନ୍ତରେ ଅନ୍ତର

ସଲିଳେ ସଲିଳ ପ୍ରାୟ ଚିରକାଳ ପାଇଁ ।’’

 

ଶୁଣି ଏହା ଶତବର୍ଗ ଲଭିଲା ଉଷତ,

ତହୁଁ ବେନି ସଖୀ ଚାହିଁ ପରସ୍ପର ମୁଖ

ହସି ହସି ହେଲେ ବଦ୍ଧ ପ୍ରେମ ଆଲିଙ୍ଗନେ,

ଭୁଞ୍ଜିଲେ ଜୀବନେ ଚିର ମିଳନର ସୁଖ ।

 

ସୂର୍ଯ୍ୟମୁଖୀର ପତ୍ର

 

ନମେ ପାଦମୂଳେ ତବ ହେ ଜ୍ୟୋତିଷ୍କରାଜ,

ସୂର୍ଯ୍ୟମୁଖୀ ତରୁକୁଳ-ରାଜେନ୍ଦ୍ର-ନନ୍ଦିନୀ,

କିନ୍ତୁ ତବ ପ୍ରେମାଧୀନା, ଚିର ସେବାଦାସୀ ।

 

ପ୍ରଭାତୁଁ ସାୟାହ୍ନ ଯାଏଁ ଅପଲକ ନେତ୍ରେ

ଚାହିଁଥାଏ ତୁମ୍ଭଙ୍କୁ ମୁଁ, ବୁଜିଲେ ନୟନ

ନ ଦିଶିବ ତୁମ୍ଭ ରୂପ ଘଟିବ ବିଚ୍ଛେଦ,

ଏହି ଆଶଙ୍କାରେ ଥାଏ ସଦା ସାବଧାନ ।

 

ରାତ୍ରେ ସୁଦ୍ଧା ନେତ୍ର ମୋର ପଡ଼େ ନାହିଁ କଷା,

ଚାହିଁଥାଏ ସାରାରାତ୍ରି ଅଧୀର ନୟନେ,

କାଳେ କେତେବେଳେ ତୁମ୍ଭେ ଉଇଁବ ଗଗନେ,

ବାନ୍ଧି ମନେ ଏହି ଆଶା, ଅସମ୍ଭବ ତାହା,

କିନ୍ତୁ ଆଶା କହେ କାନେ-ନା, ନା, ତା ସମ୍ଭବ

ବୁଝ କି ହେ ପ୍ରିୟ-ମୋର ପ୍ରାଣର ଉତ୍କଣ୍ଠା,

ପୁଣି ସେ ଉତ୍କଣ୍ଠା ବ୍ୟଥା-ବକ୍ଷ-ବିଦାରିଣୀ ?

କିନ୍ତୁ ନୁହେଁ ନିଜ ଦୁଃଖେ ଦୁଃଖୀ କେବେ ମୁହିଁ,

ନୁହେଁ ତେଡ଼େ ସ୍ୱାର୍ଥପର, ନିଜ ଦୁଃଖେ ନିଜେ

ହେବି ଘାରି—ଏହା ମୋର ପ୍ରକୃତିବିରୁଦ୍ଧ ।

 

ସପତ୍ନୀର ଦୁଃଖ ମୋତେ କନ୍ଦାଏ କେବଳ ।

 

ସରୋରାଜ ପାଟଜେମା ସରୋଜା ସୁନ୍ଦରୀ

ସଉତୁଣୀ ମୋର, କାନ୍ଦେ ତାହା ଦୁଃଖେ ପ୍ରାଣ ।

 

ସପତ୍ନୀ ସେ ସତ୍ୟ, ମାତ୍ର ଦେଖେ ମୁଁ ତାହାକୁ

ସ୍ନେହନେତ୍ରେ ସବୁବେଳେ ଅନୁଜା ସମାନ,

ନୋହୁ ପଛେ ସହୋଦରା, ତହୁଁ ଅଧିକ ସେ,

ଭଉଣୀ ପଦ୍ମିନୀ ଧନୀ ପ୍ରାଣାଧିକା ମୋର ।

 

କେତେ ଯେ ଆନନ୍ଦ ଲଭେ ଦିବସ-ଯୌବନେ

ହେରି ତା ମଧୁର ଲୀଳା ଲଳିତ ସୁନ୍ଦର,

କି ବର୍ଣ୍ଣିବି ତାହା, ବାଳୀ ଲଜ୍ଜାରୁଣ ନେତ୍ରେ

ଚାହିଁଥାଏ ମୁଖେ ତବ ପୁଲକିତ ପ୍ରାଣେ ।

 

ପରିହାସୀ ରୂପେ ଅଳି ଗୁଣୁଗୁଣୁ ସ୍ୱରେ

କହୁଥାଏ କାନେ ତାର କେତେ ରଙ୍ଗେ କଥା,

ଶୁଣି ତାହା ମୃଦୁ ହସି ମୋ ପ୍ରାଣମିତଣୀ,

(ଆହା କିବା ଢଳଢଳ ଉଜ୍ଜ୍ୱଳ ସେ ହାସ)

ଶିର ସଞ୍ଚାଳନ ଛଳେ କରୁଥାଏ ତାକୁ

କପଟ ଶାସନ, ଦେଖି ସେ ମଧୁର ଦୃଶ୍ୟ

ଲଭେଁ ମୁଁ ମର୍ତ୍ତ୍ୟରେ ଥାଇ ସ୍ୱର୍ଗର ବିଭବ,

ଆନନ୍ଦେ ଟାଙ୍କୁରି ଉଠେ ଲୋମାବଳୀ ମୋର ।

 

ଜଣାଏ କଞ୍ଚୁକୀ ଯଥା ରାଣୀଙ୍କ ଛାମୁରେ

ବିଦେଶ ବାହୁଡ଼ା ବିଜେ ବାର୍ତ୍ତା ରାଜାଙ୍କର,

ତଥା ପ୍ରାତଃ, ତବାଗମ ଜଣାଏ ପଙ୍କଜେ ।

 

ଶୁଣି ସେ ସମ୍ବାଦ ଧନୀ, ଶୁଭୋଦ୍ଦେଶ୍ୟେ ତବ

ଖୋଲିବସେ ମହାହର୍ଷେ ଦାନର ପସରା,

ଫୁଲିଉଠେ ତା ଶରୀର ପୁଲକ ପ୍ରବାହେ,

ବିତରେ ସୌରଭରାଶି ଅକାତର ପ୍ରାଣେ ।

 

ତହୁଁ ଲାଗେ ଉଭୟର ମଙ୍ଗଳ ବିବାହ,

ପକ୍ଷୀଏ ବଜାନ୍ତି ବାଦ୍ୟ ବିବିଧ ଭଙ୍ଗୀରେ,

କେହି ଦିଏ ହୁଳାହୁଳୀ, ବଜାଏ କେ ଶଙ୍ଖ ।

 

ମନ୍ତ୍ର ଉଚ୍ଚାରଣ କରେ ପୁରୋଧା ପବନ

ଧୀର ସ୍ୱରେ, ମଧୁମଖା ଅସ୍ପଷ୍ଟ ଭାଷାରେ ।

 

ବିଜେ କର ଚକ୍ରବାଳ-ବେଦିକାରେ ତୁମ୍ଭେ,

ଦୁହିତାକୁ ସରୋରାଜ ବସାଇ ଅଙ୍କରେ,

କରେ କନ୍ୟାଦାନ ହର୍ଷେ, ଶୁଭ ମୁହୂର୍ତ୍ତରେ ।

 

ଧରି ତୁମ୍ଭେ ଜ୍ୟୋତିହସ୍ତେ ଜ୍ୟୋତିର୍ମୟପାଟ

ସୂକ୍ଷଜ୍ୟୋତିସୂତ୍ରେ ବୁଣା, ଫିଙ୍ଗ କନ୍ୟାଶିରେ,

ପ୍ରଣମେ ସେ ନତଶିରେ ତୁମ୍ଭ ପାଦମୂଳେ ।

 

ସେ ମିଳନ ମହୋତ୍ସବ ସୁପବିତ୍ର ଦୃଶ୍ୟ

ଆନନ୍ଦର ସ୍ୱପ୍ନରାଜ୍ୟେ ଘେନିଯାଏ ମୋତ ।

 

କିନ୍ତୁ ତୁମ୍ଭ ଅସ୍ତଦୃଶ୍ୟ ନୈରାଶ୍ୟବ୍ୟଞ୍ଜକ,

ବିଷାଦ-କାଳିମାରାଶି ବୋଳିଦିଏ ପ୍ରାଣେ ।

 

କି କହିବି ପ୍ରାଣେଶ୍ୱର ପଙ୍କଜିନୀ ଦଶା,

ତୁମ୍ଭ ଅଦର୍ଶନେ ବାଳା ନିମୀଳେ ନୟନ ।

 

ପବନର ପ୍ରୀତିବୋଳା ଶତସ୍ତୁତିବାଦେ,

ସୁରସିକ ମଧୁପର ବହୁ କାକୁତିରେ

ନ ଚାହେଁ କଦାପି ବାରେ, ସତୀକୁଳରାଣୀ ।

 

ଶିଶିର ଲୋତକ ବିନ୍ଦୁ ଝରେ ନେତ୍ରୁ ତାର,

ଯେସନ ରଜତ ସ୍ୱଚ୍ଛ ସୂଚାରୁ ଶୁକ୍ତିକା,

ଉଦ୍‍ଗାରୁଛି ମୁକ୍ତାରାଶି ଅନର୍ଗଳ ବେଗେ ।

 

କାନ୍ଦିଉଠେ ଅନ୍ତରାତ୍ମା ହେରି ତାର ଦଶା,

ସଲିଳେ ଶର୍କରା ପରି ତାର ମୋର ପ୍ରାଣ

ମିଶି ହୋଇଅଛି ଏକ ଅଭେଦ ସଙ୍ଗମେ ।

 

ତେଣୁ ତାର ଦୁଃଖ ଶୋକ ଭୀମ ବଜ୍ର ପରି

ବାଜେ ମୋର ଅନ୍ତରର ଅନ୍ତସ୍ତଳେ ଆସି,

ପ୍ରତିଫଳେ ତା ବେଦନା ମୋ ଚିତ୍ତ-ଦର୍ପଣେ ।

 

ସପତ୍ନୀ ସେ ମୋର ସତ୍ୟ, କିନ୍ତୁ ମୋର ମନ

ନୁହେଁ କେବେ ତା ମନର ଅପ୍ରିୟ ସପତ୍ନୀ

ମିଶାଇଛୁଁ ଆମ୍ଭେ ବେନି, ବେନି ନଦୀ ପ୍ରାୟ

ଏକଇ ସାଗରେ ପ୍ରାଣ, ଛନ୍ଦିଅଛୁଁ ପୁଣି

ଏକଇ ପାଦପ ପାଦେ ଯୁଗ୍ମଲତା ପ୍ରାୟ,

ମିଶାଇଛୁଁ ପ୍ରାଣେ ପ୍ରାଣ, ଅନ୍ତରେ ଅନ୍ତର ।

 

 

ନୁହେଁ ତ ସପତ୍ନୀ ମନ୍ଦ, ବିଧିଦାନ ସେହୁ,

ଅଛି ଯାର ସପତ୍ନୀ ସେ ଅତି ଭାଗ୍ୟବତୀ;

ସହକର୍ମୀ-ସଉତୁଣୀ ପୁଣି ସହଚରୀ,

ଢାଳେ ସେ ଆନନ୍ଦ ପ୍ରାଣେ,ତାହା ଯୋଗୁଁ ଏକା

ସଂସାରର ଗୁରୁଭାର ହୁଏ ଅଧେ ଊଣା ।

 

ନାରୀପ୍ରାଣେ ନାରୀପ୍ରାଣ ମିଶେ ସହଜରେ,

ନାରୀର କୋମଳ ପ୍ରାଣେ ନ ପାରେ ମିଶାଇ

ସ୍ୱପ୍ରାଣ ଯେ ନାରୀ, ତେବେ କିପରି ସେ ଅବା

କଠୋର ପୁରୁଷ ପ୍ରାଣେ ମିଶାଇବ ପ୍ରାଣ ।

 

ନ ସମ୍ଭବେ ଭେଦନୀତି ସପତ୍ନୀ ଅନ୍ତରେ,

ଏକଇ କରୀର ପତ୍ନୀ ଅନେକ କରିଣୀ,

ମାତ୍ର କେହି ହୁଏ ନାହିଁ ପ୍ରତିକୂଳା କାର,

ରଖିଥାନ୍ତି ପରସ୍ପର ସମାନ ପ୍ରଣୟ,

ସେହିପରି ଭେଦ ନାହିଁ ଆମ୍ଭ ବେନି ଜନେ ।

 

କୃଶାଙ୍ଗୀ ବିଚ୍ଛେଦେ ତବ ସରୋଜା ସୁନ୍ଦରୀ,

ମଣେ ରାତ୍ରି ଯୁଗ ସରି ତୁମ୍ଭ ଅଦର୍ଶନେ,

ପତି ବିନା ସତୀ ପ୍ରାଣେ ବଢ଼େ ଯେ ବେଦନା,

କେ ବୁଝିବ ଆନ ତାହା ସତୀପତି ବିନା ?

ପତିହୀନା ସତୀ ଯଥା ପ୍ରାଣହୀନା ତନୁ,

କିମ୍ବା ଜ୍ୟୋତିଶୂନ୍ୟ ମଣି, ଗନ୍ଧହୀନ ଫୁଲ ।

 

ମଧୁର ଅମୃତ ରସ ତା ପକ୍ଷେ ଗରଳ,

ଶୀତଳ ଚନ୍ଦ୍ରିକା ହୁଏ ତରଳ ଅନଳ ।

 

ପଚାରିଲା ସଖୀ ମୋତେ ଆଜି ଏ ରାତ୍ରିରେ-

କହନି ଭଉଣି, କିମ୍ପା ଯାଆନ୍ତି ବିଦେଶେ

ସୂର୍ଯ୍ୟମୁଖୀ କମଳିନୀ ହୃଦୟ ଦେବତା,

ତେଜି ତାଙ୍କ ଦାସୀଦ୍ୱୟେ ସୁଦୂର ମହୀରେ ?

କି ସୁଖ ଲଭନ୍ତି ତହୁଁ, ଥିଲେ ଆମ୍ଭ ପାଶେ

କରନ୍ତେ ବେନିଏ ପୂଜା, ଖଟି ଶ୍ରୀପୟରେ

କରନ୍ତେ ଲୋ ସେବା କେତେ, ଆକାଙ୍‍କ୍ଷା ପୂରାଇ,

କିପାଁ ସେ ସୌଭାଗ୍ୟ ବିଧି ନ ଦେଲା ଆମ୍ଭଙ୍କୁ ?

କହିଲି ମୁଁ ତହୁଁ ହସି ସସ୍ନେହେ ଏସନ,--

କି ଅଲାଗୀ ନଳିନୀ ତୁ, ପିଲାଭାବ ତୋର

ଗଲା ନାହିଁ ଅବଧି ଯା, କେଡ଼େ ତୁ ଅଲେଳ !

ପ୍ରଭୁ ଆମ୍ଭ ସୃଷ୍ଟିଧର, ରହିଲେ ସେ ବସି

 

ହେବ ନାହିଁ ଦିନରାତି, ନ ରହିବ ସୃଷ୍ଟି,

ଏଡେ ବଡ଼ କର୍ତ୍ତବ୍ୟ ଲୋ ଅଛି ତାଙ୍କ ଶିରେ ।

 

ସେ ମହାକର୍ତ୍ତବ୍ୟେ ଆମ୍ଭ ତୁଚ୍ଛ ସ୍ୱାର୍ଥକଣା

ମିଶାଇ ପାରିଲେ ହେବା ଯୋଗ୍ୟପତ୍ନୀ ତାଙ୍କ ।

 

ଆମ୍ଭ ଦୁଃଖେ ଜଗତର ହୁଏ ଯେବେ ହିତ,

ତା’ଠାରୁ ସୌଭାଗ୍ୟ ଆଉ କି ଅଛି ଆମ୍ଭର ?

ଆତ୍ମସ୍ୱାର୍ଥେ ଜଳାଞ୍ଜଳି ପରସ୍ୱାର୍ଥ ପାଇଁ

ଅଟେ ସିନା ଶ୍ରେଷ୍ଠଧର୍ମ-ଅମର-ଦୁର୍ଲଭ ।

 

ସହଧର୍ମିଣୀ ଯେ ଆମ୍ଭେ, ତାଙ୍କର ଯା ଧର୍ମ

ତାହାହିଁ ଆମ୍ଭର ଧର୍ମ, ନିତ୍ୟ ପାଳନୀୟ,

ତେଜିଛନ୍ତି ଜୀବନର ସୁଖଭୋଗ ସେହୁ,

କେଉଁ ମୁଖେ ଆମେ ଭଲା ଖୋଜିବା ଲୋ ସୁଖ ।

 

ହେ ପଦ୍ମିନୀପ୍ରାଣମଣି, ପ୍ରବୋଧି ଏସନ

ପ୍ରିୟାଙ୍କୁ ତୁମ୍ଭର, ଘେନି କୁନ୍ତଳ ଗଭାରୁ

ସୁବର୍ଣ୍ଣ ପାଖୁଡ଼ାଟିଏ, ଲେଖିଲି ଏ ପତ୍ର

ବୁଡ଼ାଇ ଲେଖନୀ ନିଶି-ଅନ୍ଧାର-କାଳୀରେ ।

 

ଆସି ପ୍ରଭୁ ନିଶାଶେଷେ ପ୍ରଦାନ ତା ପ୍ରାଣେ

ମଧୁର ସାନ୍ତ୍ୱନା ସହ ଧୈର୍ଯ୍ୟ, ଶକ୍ତି, ଶାନ୍ତି ।

 

ତୁମ୍ଭେ ପ୍ରଭୁ ଏକା ତାର ଗୁରୁ ଅଦ୍ୱିତୀୟ,

ଦିଅ ତାକୁ ଧର୍ମଦୀକ୍ଷା, ଲଭି ବାଳାମଣି

ତତ୍ତ୍ୱଜ୍ଞାନ ତୁମ୍ଭ ପାଶୁ, ଶାନ୍ତି ଭୁଞ୍ଜୁ ପ୍ରାଣେ ।

 

ଶୀତଶୀର୍ଣ୍ଣା ଧରଣୀର ପାଣ୍ଡୁର ଅଧରେ

ଫୁଟାଏ ବସନ୍ତ ଯଥା ମୃଦୁ ଚାରୁହାସ,

ଆସି ତଥା ଜ୍ୟୋତିନାଥ, ଫୁଟାଅ ସୁହାସ

ବିଚ୍ଛେଦ-ବିଶୁଷ୍କ ତବ ପ୍ରିୟାର ଅଧରେ ।

 

ସ୍ୱାତୀବର୍ଷାବିନ୍ଦୁ ଯଥା ଶୁକ୍ତିକା ଉଦରେ

ଉପୁଜାଏ ମୁକ୍ତାରାଶି, କରୁ ତଥା ଦେବ,

ତବ ଶୁଭାଗମ ତାର ପିଣ୍ଡେ ପ୍ରାଣ ଜାତ ।

 

ଟଗର

 

ଏ କିଏ ଟଗର ? ଏ ଯେ ଶରତ ଡଗର,

ଭୂଷଣର ବିଭୂଷଣ ଉପମାବର୍ଗର ।

 

କେଡ଼େ ଆଗ୍ରହରେ କାହା ପ୍ରତ୍ସାଧନ ପାଇଁ,

ଧରି ଉଭା ରୂପାଗିନା ଚନ୍ଦନେ ପୂରାଇ ।

 

ଉଦ୍ୟାନର ଶତଦଳ ତୁହି ଫୁଲମଣି

ମେଲିଅଛୁ ଚାରିଆଡ଼େ ସୁବାସ-ବିପଣୀ ।

 

କୋମଳ ସୁନ୍ଦର ଶୁଭ୍ର, ନାହିଁ ଆବରଣ,

ନୃତ୍ୟହାସୀ ମଲ୍ଲୀ ତୋର ସୂକ୍ଷ୍ମ ସଂସ୍କରଣ ।

 

ଦୁଇପାଖ ସ୍ୱଚ୍ଛ ତୋର ଅନ୍ତର ବାହାର,

ଅସାର ଏ ସଂସାରରେ ତୋ ଜୀବନ ସାର ।

 

କାହୁଁ ଆଣୁ ସୁବାସ ତୁ, ସଂଗ୍ରହୁ କିପରି,

କି ହୁଏ ସେ ଧନ ତୋର, ଦେଉ ତା’ ବିତରି

 

କୃପଣର ଉପାର୍ଜନ ଥେଣ୍ଟ ପେଟ ଲାଗି,

ମାତ୍ର ବିଶ୍ୱପାଇଁ ଅର୍ଜେ ଦାତା ସାଧୁ ତ୍ୟାଗୀ ।

 

ଶାରଦୀ କମଳାଙ୍କର ତୁ ପ୍ରିୟ ପୂଜକ

ନିଜକୁ ସମର୍ପି କରୁ ତୋ ପୂଜା ସାର୍ଥକ ।

 

ସ୍ୱାର୍ଥଶୂନ୍ୟ ପୂଜା ତୋର ଖାଣ୍ଟିପୂଜା ଏକା,

ଆନ ପୂଜା ମନବୁଝା କିମ୍ବା ଲୋକଦେଖା ।

 

ଟଗର, ମୁଁ ତୋହେ ପାଦେ ଋଣୀ ସିନା ଅତି,

ଶିଖାଇଲୁ ମୋତେ ତୁହି ପୂଜାର ପଦ୍ଧତି ।

 

ଅନ୍ନପୂର୍ଣା

 

ଗୁଳ୍ମରାଣୀ ଅନ୍ନପୂର୍ଣ୍ଣେ, କ୍ଷୁଦ୍ର ପ୍ରାଣ ତୋର,

ମହାପ୍ରାଣତାରେ ପୂର୍ଣ୍ଣ, ପ୍ରେମରେ ବିଭୋର ।

 

କଳି ନୁହେଁ ତୋର ଗୁଣ ଶକତିର ସୀମା,

ସ୍ପର୍ଶମାତ୍ରେ ବଢ଼ାଉ ତୁ ଅନ୍ନର ମହିମା ।

 

ବୋଳିଦେଉ ଅନ୍ନଦେହେ ଅମୃତ ସୁବାସ,

ଅନ୍ୟକୁ ଆନନ୍ଦ ଦେଉ ନିଜେ ଦେଇ ଝାସ ।

 

ନାହିଁ ତୋର ବାକ୍ୟସ୍ଫୂର୍ତ୍ତି, କି କ୍ଷତି ବା ତହିଁ,

ମହାନ ଆଦର୍ଶ ଅଛୁ ପ୍ରାଣ ମଧ୍ୟେ ବହି ।

 

ତୋର ତ୍ୟାଗ, ଉଦାରତା, ତୋର ଆତ୍ମଦାନ,

ଚିନ୍ତାକଲେ ବିସ୍ମୟରେ ବୁଡ଼ିଯାଏ ଜ୍ଞାନ ।

 

ହେ ଅଦ୍ଭୁତକର୍ମା ହରି, ହେ ମୋ ପ୍ରାଣହରି,

ରଖିଛ ଇତର ପ୍ରାଣେ ମହାରତ୍ନ ଭରି ।

 

ସୃଷ୍ଟିର ବୈଚିତ୍ର୍ୟ ତବ ଏହାହିଁ ତ ପ୍ରଭୁ,

ବାହାରୁଛି ମୁକ୍ତା ତୁଚ୍ଛ ଶୁକ୍ତିକା ଗରଭୁ ।

 

ବିଷରେ ଅମୃତ ଅଛି, ଅମୃତରେ ବିଷ,

ଛାର ନର ତୁମ୍ଭ ଲୀଳା ବୁଝିବ ବା କିସ ।

 

ଦେଇଛ ଏ କ୍ଷୁଦ୍ର ଗୁଳ୍ମେ ଯେ ଧନ ସମ୍ଭାର,

କରୁଅଛି ତାହାର ସେ ନିତ୍ୟ ସଦ୍‍ବେଭାର ।

 

କିନ୍ତୁ ମୁଁ ମାନବ, ତାହା ପାରୁ ନାହିଁ କରି,

ଆଶୀର୍ବାଦକର, ଯେହ୍ନେ ହେବି ତାହା ପରି ।

 

ରଜନୀଗନ୍ଧା

 

ଫୁଲକୁଳ ପାଟରାଣୀରେ ରଜନୀଗନ୍ଧା,

ଦେଇଛୁ ରଜନୀପଦେ ମନପ୍ରାଣ ବନ୍ଧା ।

 

ତୁ ତା’ର ପ୍ରଣୟସଖୀ ପ୍ରିୟ ସଙ୍ଗାତୁଣୀ,

ଦୁହେଁ ଯେହ୍ନେ ଦୁହିଙ୍କର ପ୍ରାଣର ଭଉଣୀ ।

 

ପରସ୍ପର ପ୍ରତି ଅଛି ପ୍ରେମ ଅନୁରାଗ,

ସମାନ ମମତା ପୁଣି ଅସୀମ ସୁଆଗ ।

 

ଦିବସ ବିଚାରା ତୋର କରିଛି କି ଦୋଷ,

ତାହା ପ୍ରତି କିପାଁ ବହୁ ଏଡ଼େ ତୀବ୍ର ରୋଷ ।

 

ତାହାରି ଆଲୋକ ତୋର ପ୍ରାଣ ରକ୍ଷା କରେ,

ନ ଚାହୁଁ ତୁ ତାହା ମୁଖ ଆଖି ମେଲି ଥରେ ।

 

କିପାଁ ହେଉ ଅକୃତଜ୍ଞା ରଜନୀ-ସଜନୀ,

ଏହା ତ ଉଚିତ ନୁହେଁ ତୋର ଫୁଲମଣି ।

 

ଅନନ୍ତ ଅକ୍ଷୟ ତୋର ସୁରଭି-ସମ୍ପଦ,

ଅର୍ପି ତାହା ପୂଜୁ ତୁହି ରଜନୀ ଶ୍ରୀପଦ ।

 

ନ ମିଳେ କଣିକେ ତହୁଁ ଦିବସ ଭାଗ୍ୟରେ,

ରାଜନନ୍ଦିନୀ ତୁ, ତୋର ମହତ୍ତ୍ୱ ତ୍ୟାଗରେ ।

 

କିପାଁ ତୁହି ଭୁଲିଗଲୁ ତୋର ମହାନୀତି,

ଭୂଷଣ ତୋହର ପରା ସାମ୍ୟ ମୈତ୍ରୀପ୍ରୀତି ।

 

ହେବୁ ନାହିଁ ଉପକାରୀଠାରେ ଅକୃତଜ୍ଞ,

କୃତଜ୍ଞତା ଏକା ସବୁ ଦାନ ଧର୍ମ ଯଜ୍ଞ

 

ରଙ୍ଗିଣୀ

 

ଦିଗ ଆଲୋକିତ କରି ହସୁଛୁ ରଙ୍ଗିଣୀ,

ରଙ୍ଗପାଟ-ପରିହିତା ପ୍ରଦୋଷ-ସଙ୍ଗିନୀ ।

 

ଅଛି ତୋର ଦିବ୍ୟରୂପ, ମାତ୍ର ଗୁଣ ନାହିଁ,

ରୂପଲାଗି କିଏ ପୂଜା ପାଉଅଛି କାହିଁ ?

ରସ ନାହିଁ, ଗନ୍ଧ ନାହିଁ, ଅଛି ଖାଲି ରୂପ,

ଗନ୍ଧ ବିନା ବ୍ୟର୍ଥପ୍ରାଣ ନ ହୁଏ କି ଧୂପ ?

ଶୋଭାର ଉପମା ପାଇଁ ଖାଲି ତୋ ଜନମ,

ଶିମିଳୀ ପଳାଶ ଜବା ପାଳଧୁଆ ସମ ।

 

କି ଅପୂର୍ବ ଶୋଭା ଅଛି ତୁଳସୀ ପତରେ,

ଗୁଣ ହେତୁ ବସେ ସେ ତ ଦେବ ମସ୍ତକରେ ।

 

ରଙ୍ଗିଣି, ତୁ ଏ କଥାକୁ ନ କରି ସ୍ମରଣ,

ଦେଖୁଅଛୁ ରଙ୍ଗଦିଆ, ଏକସ୍ୱରା ସ୍ୱପ୍ନ ।

 

ହୁଣ୍ଡୀ, ଅଣକପାଳୀ ତୁ, ରୂପପ୍ରାଣା ପୁଣ,

ଦୟାଳୁ ପ୍ରଭୁଙ୍କୁ କିପାଁ ନ ମାଗିଲୁ ଗୁଣ ।

 

କି ଫଳ ସେ ଅନୁତାପେ, ଶୁଣ ଲୋ ଅଲାଗୀ,

ପୁନଶ୍ଚ ଆସିଲେ ଗୁଣ ଆଣିବୁ ତୁ ମାଗି ।

 

ରୂପ ଲାଗି ଅଳିଗୋଳ ନ କରିବୁ ପୁଣି,

ନ ହେବୁ ସୌନ୍ଦର୍ଯ୍ୟ ମୋହେ ରୂପ କାଙ୍ଗାଳୁଣୀ ।

 

ଥାଇପାରେ ଅନ୍ୟ ଗୁଣ ତୋର ପଣ ପଣ,

ଫୁଲ ତୁହି ଶୋଭା ତୋତେ ଫୁଲର ଲକ୍ଷଣ ।

 

ମଲ୍ଲି

 

ବସିଛୁ କି ମଲ୍ଲିରାଣୀ ବସନ୍ତ-ବାନ୍ଧବୀ,

ହସୁଛୁ ଉଦ୍ଦାମ ହସ ବିସ୍ତାରି ସୁରଭି ।

 

କାହିଁକି ଲୋ ଏତେ ହସ ଏଡ଼େକ ବିଦ୍ରୂପ,

ମଣୁଛୁ କି ନିଜ ରୂପେ ଏକା ଅପରୂପ ।

 

ରୂପବର୍ଗେ ଫାଟି ପଡ଼ି ପାଇବୁ କି ଲାଭ,

ଏହା ଯେ ତୋହର ମଲ୍ଲି ପିଲାଣ୍ଟିଆ ଭାବ ।

 

ଉଡ଼ିଯିବ ମୁହୂର୍ତ୍ତକେ ରୂପ ଗନ୍ଧ ସର୍ବ,

ତାହାଲାଗି ବହନ୍ତି କି ଏଡ଼େ ବଡ଼ ଗର୍ବ ।

 

ତୋର ଏହା ଯୋଗ୍ୟକାର୍ଯ୍ୟ ହେଲା କି ମଲ୍ଲିକା ,

କି ବୁଝିବୁ ନୀତି, ତୁ ତ ଅଲେଳ ବାଳିକା

 

ଟାହୁଲି, ଟାପରା, ହାସ୍ୟ ବିହୃଦର କର୍ମ,

ହୃଦୟୀ ତାହାକୁ ମଣେ ଘୃଣିତ ଅଧର୍ମ ।

 

ହସିବାକୁ ଶାଧ ଯେବେ, ଅଛି ତୋର ଧାରା,

ଭାଗବତ ପ୍ରେମେ ଆଗେ ହେବୁ ଆତ୍ମହାରା ।

 

ପ୍ରେମ-ପୁଲକରେ ଉଠେ ପ୍ରାଣରୁ ଯେ ହାସ,

ଇତର ନୁହେଁ ସେ, ପୂର୍ଣ୍ଣ ଅମୃତ ଉଚ୍ଛ୍ୱାସ ।

 

ହସୁଛନ୍ତି ତୋତେ ଚାହିଁ ପ୍ରେମମୟ ହରି,

ତାଙ୍କୁ ଦେଖି ଯେବେ ତୁହି ହସିବୁ ସେପରି,

ତେବେ ସିନା ହସ ତୋର ଦିଶିବ ସୁନ୍ଦର,

ଉପୁଜିବ ସେ ହସରୁ କଲ୍ୟାଣ ତୋହର ।

 

ଯେ ତୋର ସର୍ବସ୍ୱଦାତା ତାଙ୍କରି ହସରେ,

ମିଶାଇ ପାରିଲେ ହସ ତରିଯିବୁ ଖରେ ।

 

ଶେଫାଳିକା

 

ସୁକୁମାର ପ୍ରାଣ ତୋର ସତୀ ଶେଫାଳିକେ,

ରବିକର ସ୍ପର୍ଶେ ଯାଉ ଝାଉଁଳି ଘଡ଼ିକେ ।

 

ପାଖୁଡ଼ା ହୀରକ ତୋର ବୃନ୍ତ ପଦ୍ମରାଗ,

ଶରଦରାଣୀ ତୁ, ତୋର ଅତୁଳ ସୌଭାଗ୍ୟ ।

 

ପଲ୍ଲବ ଶ୍ୟାମାୟମାନ ଯେସନେ ମାରାଗ,

ସାରାରାତି ଆଚାରୁ ତୁ ମୌନ-ଜପ-ଯାଗ ।

 

ଶୋଭାଞ୍ଜନା ପ୍ରିୟସଖୀ ଆନନ୍ଦେ ବିହ୍ୱଳି,

ଢାଳୁଥାଏ ଶିରେ ତୋର ପ୍ରେମ-ପୁଷ୍ପାଞ୍ଜଳି ।

 

ରାତିଏ ତୋହର ଆୟୁ, ତପେ ତାହା କଟେ,

ନ ଛାଡ଼ୁ ତପସ୍ୟା କ୍ଷଣେ ପ୍ରାଣ ଥାଉଁ ଘଟେ ।

 

ଜୀବନଟା ତେବେ ତୋର ତପସ୍ୟା ସକାଶେ,

ତପ ସାରି ଯାଏ, ପୁଣି କରିବାକୁ ଆସେ ।

 

ଆସିବା ଯିବା ତ ତୋର ଲାଗିଛି କେବଳ,

କେତେବେଳେ ଭୋଗ କରୁ ତପସ୍ୟାର ଫଳ ।

 

ଅଥବା ତୁ ସତ୍ୟରାଣୀ ନୋହୁ ଫଳକାଙ୍‍କ୍ଷୀ,

କର୍ମପାଇଁ କର୍ମ କରୁ ଧର୍ମେ ରଖି ସାକ୍ଷୀ ।

 

ଜୀବନ ତୋହର ଧନ୍ୟ ଜନ୍ମ ତୋର ଧନ୍ୟ,

ତୁଳନାରେ ମୋ ଜୀବନ ନଗଣ୍ୟ ଜଘନ୍ୟ ।

 

ତୋହରି ଆଦର୍ଶ ଧରି ଯାପିବି ଜୀବନ,

ଆଜିଠାରୁ ଧରିଲି ମୁଁ ପ୍ରାଣରେ ଏ ପଣ ।

 

ନର ତୋତେ ଶିରେ ବହେ ଧରେ ଆଦରେ,

ମଉଳିଲେ ଦଳିଦିଏ ପୁଣି ସେ ପାଦରେ ।

 

କ୍ଷମାକରୁ ତାକୁ ତୁହି ନ ପ୍ରକାଶି ରୋଷ,

ମହତେ ଧରନ୍ତି ନାହିଁ ଇତରର ଦୋଷ ।

 

ଛୁରିଅନା

 

ଛୁରିଅନେ, ସ୍ଥାନ ତୋର ନନ୍ଦନ ଉଦ୍ୟାନ,

ମର୍ତ୍ତ୍ୟଭୂମି ପ୍ରତି ତୁହି ଦେବତାଙ୍କ ଦାନ ।

 

ସୁରପୁନ୍ନାଗ ବୋଲିଣ ନାମ ପୁଣି,

ମର୍ତ୍ତ୍ୟର ପୁନ୍ନାଗ ତୋର ଯାଆଁଳା ଭଉଣୀ ।

 

ତୋହ ରୂପ ତୋହ ଗନ୍ଧ ତାର ଅବିକଳ,

ତୋହେ ପରି ଅଳିକୁଳେ କରେ ସେ ପାଗଳ ।

 

କଣିକାଏ ମଧୁଲାଗି ମଧୁମକ୍ଷିଦଳ,

କରୁଥାନ୍ତି      ସ୍ତବ ସ୍ତୁତି ତୋତେ ଅନର୍ଗଳ ।

 

ରସ ଶୋଷି ତୋତେ କରିଦିଅନ୍ତି ସେ ସିଠା,

ତୋହ ଧନ ଖାଇ ତୋତେ ମାରନ୍ତି ଗୋଇଠା ।

 

ହସି ହସି ସହୁ ତୁହି ତାଙ୍କ ଅତ୍ୟାଚାର,

ଧର୍ମଭୀରୁ ଗୃହୀ ପରି ତୋର ବ୍ୟବହାର ।

 

ଦୁର୍ଜନ ଅତିଥିଠାରୁ ଶୁଣି ଅପବାଦ,

ପ୍ରତିଦାନେ ଯେସନେ ସେ ପୂଜେ ତାର ପାଦ ।

 

କ୍ଷୁଦ୍ର ତୁହି କିନ୍ତୁ ତୋର ପ୍ରତିଭା ଅନନ୍ତ,

ଯାହାକୁ କହନ୍ତି କ୍ଷୁଦ୍ର ସେହି ତ ମହତ ।

 

କି ସୁନ୍ଦର ତନୁ ତୋର, ନୟନ-ଉଜୁଡ଼ା,

ମରକତ କୁଣ୍ଡେ ଯୋଡ଼ା ହୀରକ ପାଖୁଡ଼ା ।

 

କେଶର କନକ ତନ୍ତୁ ମଧ୍ୟେ ପଦ୍ମରାଗ,

ସର୍ବାଙ୍ଗରେ ବୋଳା ବିଶ୍ୱ ପ୍ରେମ ଅନୁରାଗ ।

 

ଚିନା-ଗୋଲାପ

 

ଫୁଲକୁଳେ ବହୁରୂପୀରେ ଚିନା-ଗୋଲାପ,

ବିଦେଶୀ ତୁ, ନାହିଁ ମୋର ତୋ ସଙ୍ଗେ ଆଳାପ ।

 

କାହିଁକି ତୁ ହେଲୁ ଭଲା ଏଡ଼େ ନାମରଙ୍କ,

ପ୍ରକୃତ ଗୋଲାପ ନାମେ ବୋଳିଲୁ କଳଙ୍କ ।

 

ନାମରାଜ୍ୟେ ପଡ଼ିଥିଲା ଏଡ଼େ କି କାନ୍ତାର,

ଚୋରି କରି ନେଲୁ ତୁହି ନାମଟି ତାହାର ।

 

ଅଛି ତୋର ଗୋଲାପର କେବଣ ଲକ୍ଷଣ,

ବାସ୍ତବରେ ଏହା ତୋର ବଡ଼ ଭଣ୍ଡପଣ ।

 

ସାତ ଥର ମରି ହେଲେ ସାତ ଥର ଜନ୍ମ,

ହୋଇ ନ ପାରିବୁ କେବେ ଗୋଲାପର ସମ ।

 

ଦୀନ ହୋଇ ଘେନିଲୁ ତୁ କିପାଁ ରାଜଟିକା,

କାକଦେହେ ଗୁଞ୍ଜିହେଲୁ ମୟୂର ଚନ୍ଦ୍ରିକା ।

 

ପରର ସୁନ୍ଦର ଦ୍ରବ୍ୟେ କିପାଁ କଲୁ ଲୋଭ,

ଭୁଞ୍ଜିଲୁ ଉଚିତ ଫଳ-ହଟାହଟା କ୍ଷୋଭ ।

 

ନିଜକୁ ସୁନ୍ଦର ବୋଲି କରୁ କି ଚାତର,

ଭୁଲ ତା’, କାଗଜ ଫୁଲ ତୋ’ଠାରୁ ସୁନ୍ଦର ।

 

ଯାହାର ଯା ପ୍ରାପ୍ୟ ତାକୁ ଦେଇଛନ୍ତି ହରି,

ଅଧିକ ଯେ ଖୋଜେ ହୁଏ ହିନସ୍ତା ତୋ ପରି ।

 

ମୋ ଦେଶରେ ଜନ୍ମ ଯେବେ ହୋଇଥାନ୍ତା ତୋର

ଦେଇଥାନ୍ତି ନାମ ତୋତେ ବହୁରୂପୀ ଚୋର ।

 

ଗୋଲାପ ସୌରଭ-ରାଣୀ ଉଦ୍ୟାନ-ଅପ୍‍ସରୀ,

ତୁ ନୋହୁ ତା’ ଗୋଡ଼ଘଷା ପଥରକୁ ସରି ।

 

ତୋହ ପରି ଗନ୍ଧହୀନ ଏ ଦେଶେ ଯେ ଫୁଲ,

କାଣି କଉଡ଼ିରୁ ଊଣା ଅଟେ ତାହା ମୂଲ ।

 

ବହୁ ନଦୀ ବନ ଗିରି ଲଙ୍ଘି ଧାଇଁ, ଧାଇଁ,

ଏ ଦେଶକୁ ଆସିଲୁ ତୁ କି ପୌରୁଷ ପାଇଁ ।

 

ଆସିଛୁ ତ ରହ, ନ ଯା ଫେରି ପୁନର୍ବାର,

ଅତିଥି ତୁ, ଭୋଗ କର ଅତିଥି ସତ୍କାର ।

 

ଥାଉ ବା ନ ଥାଉ ଗୁଣ, ଅତିଥି ଦେବତା,

ଅତିଥିର ପପଜା ଏ ଦେଶର ପ୍ରଥା ।

 

ବକୁଳ

 

ଫୁଲକୁଳ ସତୀ ରାଣୀ ତୁହି ଲୋ ବକୁଳ,

ସ୍ୱଗୁଣେ ଉଜ୍ଜ୍ୱଳତର କରିଛୁ ତୋ କୁଳ ।

 

ନାହିଁ ତ ଦେହରେ ତୋର ଅଳଙ୍କାର ଖଣ୍ଡେ,

କିମ୍ବା ମୋଟା ରୋଟା ଚିରା ସାଦା ଲୁଗା ଖଣ୍ଡେ ।

 

କିଛି ହେଲେ ଆଡ଼ମ୍ୱର ନାହିଁ ତ ଲୋ ତୋର,

ଧରିଛୁ ସତୀତ୍ୱ ବ୍ରତ-ପବିତ୍ର କଠୋର ।

 

ନ ପାହୁଣୁ ରାତ୍ରି, ତୋତେ ନ ଦେଖୁଣୁ ଅଳି,

ପିତୃପଦତଳେ ତୁହି ପଡ଼ୁ ଖରେ ଢଳି ।

 

ସ୍ନିଗ୍‍ଧ ଗନ୍ଧ ଦାନେ କ୍ଷଣେ ନ ହେଉ ଉଦାସ,

ମରି ଶୁଖି ଯାଇ ସୁଦ୍ଧା ବିତରୁ ସୁବାସ ।

 

ରୂପ-ଧନେ ଦରିଦ୍ର ତୁ ଗୁଣ-ଧନେ ଧନୀ,

ଚରିତ୍ର-ଖଣିର ଶ୍ରେଷ୍ଠ ଜ୍ୟୋତିର୍ମୟ ମଣି ।

 

ଦେବସେବା ପତିସେବା ପୁଣି ଜନସେବା,

ବ୍ରତ ତୋର, ଦାନେ ପୁଣ୍ୟେ ସରି ତୋତେ କେବା

ନ ଥାଉ ପଛକେ ତୋର ରୂପ ମନୋହର,

ଅସୁନ୍ଦରଠାରୁ ବଳି କିଏ ବା ସୁନ୍ଦର ।

 

ନ ଥାଏ ସୌନ୍ଦର୍ଯ୍ୟ ରୂପେ ରୂପଟା ତ ମାଟି,

ଗୁଣ ଏକା ସୌନ୍ଦର୍ଯ୍ୟର ସ୍ୱର୍ଣ୍ଣ ମାପକାଠି ।

 

ରୂପ ନାହିଁ ବୋଲି ତୁହି ହେବୁ ନାହିଁ କ୍ଷୁଣ୍ଣ,

ରୂପଠାରୁ ଗୁଣ ମୂଲ୍ୟ ବେଶି କୋଟିଗୁଣ ।

 

ଧୁତୁରା

 

ଧୁତୁରା, ଶଙ୍କର ଲାଗି ସଦା ତୁ ଆତୁରା,

ତଥା ଶଙ୍କର ବି ତୋର ପ୍ରେମରେ ବାଉରା ।

 

ଏତେ ଫୁଲ ଥାଉଁ ଥାଉଁ ତୋତେ ସମାଦର,

କରନ୍ତି କିପାଁ ଲୋ ଭଲା ଭୋଳା ମହେଶ୍ୱର ?

ନିଶ୍ଚେ କିଛି ଅଛି ତୋର ଗୁଣ ବରଣୀୟ,

ନତୁ ଏଡ଼େ ଲୋକର କି ହୋଇଥାନ୍ତୁ ପ୍ରିୟ ।

 

ଅଳିମୁଖେ ଗାଉ ତାଙ୍କ ସ୍ତୁତି ଭୂରି ଭୂରି,

ନୀରବେ ବଜାଉ ପୁଣି ମଙ୍ଗଳ ମହୁରୀ ।

 

ପୂରି ରହିଅଛି ତେର ପ୍ରାଣେ ଭାବ ଭକ୍ତି,

ରହିଛି ତାଙ୍କର ତେଣୁ ତୋ ପ୍ରତି ଆସକ୍ତି ।

 

ଭାବ ଏକା ସାର ଚିଜ, ଭାବେ ବଶ ଦେବେ,

ତାକୁ ସେ ଚିହ୍ନନ୍ତି ତାଙ୍କୁ ଭାବରେ ଯେ ସେବେ

ସୁକୁମାର ତନୁ ତୋର ଉପମା ଅତୁଲ,

ଫୁଲଗର୍ଭେ ଫୁଲ ପୁଣି ତା’ ଗର୍ଭରେ ଫୁଲ ।

 

ଏକପୁରା ଦୁଇପୁରା ତ୍ରିପୁରା ପ୍ରଭୃତି,

ଧରୁ ତୁହି ଧୁତୁରେ ଲୋ ବିବିଧ ଆକୃତି ।

 

ଫଳେ ତୋର ଥାଏ ତୋର ବିଷ, ଯଥାର୍ଥ ଏ କଥା,

କିନ୍ତୁ ସେ ବିଷରେ ଅଛି ଅମୃତର ସତ୍ତା ।

 

ଜଗତର ସବୁଥିରେ ଅଛି ଭଲ ମନ୍ଦ,

କେ କରିବ ଆନ ତାହା ବିଧାତା ନିର୍ବନ୍ଧ ।

 

କିରିକିଚି

 

ସୁନ୍ଦର ସୁଗନ୍ଧ ତନୁ ତୋର କିରିକିଚି,

ନାମରେ ରହିଛି ମାତ୍ର କିପାଁ ଖିଚିମିଚି ।

 

ଶାଖାପତ୍ରେ ସୃଜିଅଛୁ ମଞ୍ଜୁଳ ନିକୁଞ୍ଜ,

ହସୁଛନ୍ତି ତହିଁକ୍ଷୁଦ୍ର ପୁଷ୍ପ ପୁଞ୍ଜ ପୁଞ୍ଜ ।

 

ପରସ୍ପର ଚାହିଁ ଚାହିଁ ସଜୀବ ସ୍ନେହରେ,

ଢଳି ପଡ଼ୁଅଛି ବାତେ କେ କାହା ଉପରେ ।

 

ଲଗାନ୍ତି ପହିରେ ତୋତେ ବାଡ଼ପାଇଁ ଜନେ,

ମାତ୍ର ତୁ ବଳକା ତାଙ୍କୁ ଦେଉ ଗନ୍ଧ-ଧନେ ।

 

ବଖାଣେ କି କେହି କେବେ ତୋ ଗୁଣ କାହାଣୀ,

କିମ୍ବା କେହି ଦିଏ କି ଲୋ ମୂଳେ ଚଳେ ପାଣି ।

 

ପ୍ରତି ଉପକାର ମିଳେ ଏତିକି କେବଳ,

କାଟି ତୋତେ କରିଦିଏ ଶୀର୍ଣ୍ଣ ହୀନବଳ ।

 

ଅବିଗୁଣ ନ ମଣିବୁ ଏହା କିରିକିଚି,

ଏଥିରେ ତ ମାନବର ଦୋଷ ନାହିଁ କିଛି ।

 

କାଟିଲେ ବଢ଼ିବା ତୁମ୍ଭ ଜାତିର ପଦ୍ଧତି,

ଲାଭ ବିନା ତହିଁରେ ତ ନାହିଁ କିଛି କ୍ଷତି ।

 

ଅରଣ୍ୟବାସିନୀ ତୁହି, ବଣମଲ୍ଲୀ ପରି,

ସୁଗନ୍ଧେ ଉଦ୍ୟାନ ଫୁଲ ନୁହେଁ ତୋତେ ସରି ।

 

ପ୍ରକୃତିର କନ୍ୟା ତୁ, ସେ କୃତ୍ରିମପୁତ୍ରିକା,

ଏକା ନୁହେଁ ଦୁହିଁଙ୍କର ଜୀବନ-ପଞ୍ଜିକା ।

 

ଭୃଙ୍ଗରାଜ

 

ଭୃଙ୍ଗରାଜ, ତୁଙ୍ଗଶ୍ୟାମ ଦୁର୍ଗେ ତୋ’ ରହିଣ,

ଧରଣୀ ନାସାରେ ତୁହି ସୁବର୍ଣ୍ଣ ବସଣୀ ।

 

ଚାରୁ କାରୁକଳା ତୋର ଚିତ୍ତ-ଲୋଭନୀୟ,

ବାଳିକାକୁଳର ତୁହି ଅତିଶୟ ପ୍ରିୟ ।

 

ମେଣ୍ଟାନ୍ତି ସେ ତୋହୋ ଯୋଗେ ଅଳଙ୍କାର ତୃଷା

କରନ୍ତି ଆନନ୍ଦେ ତୋତେ ନେଇ ଖୋଷାଭୂଷା

 

ଝରିପଡ଼େ ତୋ ଶରୀରୁ ଜ୍ୟୋତିର୍ମୟ ବିଭା,

ବଢ଼ାଉ ତୁ ସ୍ମୃତିଶକ୍ତି ମନୀଷା ପ୍ରତିଭା ।

 

କି ଅଦ୍ଭୁତ ଶକ୍ତି ଅଛି କ୍ଷୁଦ୍ର ପ୍ରାଣେ ତୋର,

ହରୁ ତୁ ମସ୍ତକ ବ୍ୟାଧି—ଭୀଷଣ କଠୋର ।

 

ଶୁଚି-ଶୁଦ୍ଧ ପ୍ରାଣ ତୋର ନିର୍ମଳ ପବିତ୍ର,

ଅଶୁଛି ପରଶ ମାତ୍ରେ ହେଉ ତିରୋହିତ ।

 

ଭାବିଲେ ତୋ କଥା ମନେ କି ଅପୂର୍ବ ଭାବ-

ହୃଦୟ ମନରେ ଆସି ବିସ୍ତାରେ ପ୍ରଭାବ ।

 

ଚିତ୍ତପ୍ଲାବୀ ସେ ଭାବର ପ୍ରଖର ପ୍ରବାହେ

ଭାସିଯାଇ କୁଆଡ଼େ ମୂଁ ଚେତନା ହରାଏଁ ।

 

ସେ ଭାବର ଆକର୍ଷଣ ପ୍ରବଳ ପ୍ରଚଣ୍ଡ,

ନ ସହି ମୋ ଚିନ୍ତାସୂତ୍ର ହୁଏ ଖଣ୍ଡ ଖଣ୍ଡ ।

 

ସ୍ୱଭାବେ ମୋ ଚିନ୍ତା ଶକ୍ତିସୂକ୍ଷ୍ମ ସୂତ୍ରାକାର,

ଲୂତା ସୁତା ସହିବ କି ହିମାଳୟ ଭାର ।

 

ହିମସାଗର

 

ରକ୍ତବୀଜ ବଂଶ ତୁହିରେ ହିମସାଗର,

ଅମରପୁଇ ତୋ ନାମ,ସତେ ତୁ ଅମର ।

 

ଗୋଟିଏ ତୁ, କିନ୍ତୁ ମରି ହେଉ ରେ କୋଟିଏ,

ତୋ ପରି ଅକ୍ଷୟ ବୀଜ ଗୁଳ୍ମରାଜ୍ୟେ କିଏ ।

 

କି ସୁନ୍ଦର ମୁକୁଟ ତୁ ପିନ୍ଧିଛୁ ମସ୍ତକେ,

ଝୁଲେ ତହିଁ ରତ୍ନଝରା ସ୍ତବକେ ସ୍ତବକେ ।

 

ସ୍ୱଭାବରେ ସେ ମୁକୁଟ ଶୋଭାର ଆଧାର,

ରବି ରଶ୍ମି ସ୍ପର୍ଶେ ଦିଶେ ଅତି ଚମତ୍କାର ।

 

ମରକତ-ମଣି-ଜିଣା ରୂପକୁ ତୋହର,

ମାନେ ସେ ମୁକୁଟ ଗୋଟି ଅତୀବ ସୁନ୍ଦର ।

 

ନ ଥାଉ ପଛକେ ତୋର ଗୁଣ କିଛି ଆନ,

ଔଷଧି ରୂପରେ ସାଧୁ ଅଶେଷ କଲ୍ୟାଣ ।

 

କ୍ଷୁଦ୍ର ତୁହି, ମାତ୍ର ତୋର ମହିମା ଅପାର,

ବିସୂଚିକା ରୋଗେ ସାଧୁ ମହା ଉପକାର ।

 

ସ୍ୱଗୁଣେ ତୁ ରକ୍ଷା କରୁ ରୋଗୀର ଜୀବନ,

ଏହା ଠାରୁ ବଳି ଅଛି କି ମହତ୍ତ୍ୱ ଅନ୍ୟ ।

 

ନଗଣ୍ୟ ତୁ, କେହି ତୋତେ ନ କରେ ଆଦର,

ତଥାପି ଅନ୍ତର ତୋର ଦୟାର ସାଗର ।

 

କ୍ଷୁଦ୍ର ହୃଦୟଟି ତୋର ଉଦାର ମହାନ,

ଦାନ କରି ଖୋଜୁ ନାହିଁ ତିଳେ ପ୍ରତିଦାନ ।

 

ସୁଗନ୍ଧା ଓ ତୁଳସୀ

 

ହାତ ଧରାଧରି ହୋଇ ସୁଗନ୍ଧା ତୁଳସୀ,

ଦୁଇ ସଖୀ ପ୍ରେମାଳାପ କରୁଛ କି ବସି ।

 

ଉଭୟେ ତ ତପସ୍ୱିନୀ ଶିରେ ଧରି ଜଟା,

ଦୁହିଙ୍କର ଗନ୍ଧଧନ ଲାଗିଛି ତ ବଣ୍ଟା ।

 

ସମବ୍ରତୀ ପୁଣି, ତପ ଉଭୟର ବ୍ରତ,

ଭଲରୂପେ ବୁଝିଅଛ ଦାନର ମହତ୍ତ୍ୱ ।

 

ମରି ସିଦ୍ଧା ତୁମ୍ଭେ ବେନି ଛାଡ଼ି ନାହିଁ ଦାନ,

ଜୀଅନ୍ତେ ମରଣେ ବାଣ୍ଟ ସୁଗନ୍ଧ ସମାନ ।

 

ସୁରଭି ନିଃଶ୍ୱାସ ତୁମ୍ଭ ଅମର-ବାଞ୍ଚିତ,

ସ୍ୱଭାବ ଜାହ୍ନବୀ ସମ ନିର୍ମଳ ପବିତ୍ର ।

 

ପୁଣ୍ୟବତୀ ଭାଗ୍ୟବତୀ ତୁମ୍ଭେ ଏ ମହୀରେ,

ତପସ୍ୟା ଫଳରେ ବସ ଦେବତାଙ୍କ ଶିରେ ।

 

କେଉଁ ଜନ୍ମେ କି ତପସ୍ୟା ଆଚରିଲ କାହିଁ,

କହିବ କି ତାହା ବାରେ କୃପାନେତ୍ରେ ଚାହିଁ ।

 

ଭୁଆଁ ବୁଲା ବାଟୋଇ ମୁଁ ପାଉ ନାହିଁ ବାଟ,

ଚାଲ୍ ଚାଲ୍ କହି କିଏ ପଛୁଁ ପିଟେ ଛାଟ ।

 

କି ଦଶା ଘଟିବ ଭାଗ୍ୟେ ପାରୁ ନାହିଁ ବୁଝି,

ନୀରବରେ ହୋଇଛି ମୁଁ ଠିଆ ଆଖି ବୁଜି ।

 

ଧର୍ମ ରାଜ୍ୟପଥ ତୁମ୍ଭେ ଜାଣ ଯଥାଯଥ,

ପାଇବି କୁଆଡ଼େ ଗଲେ କହ ରାଜପଥ ।

 

ବେଲଫୁଲ

 

ବେଲଫୁଲ ମଲ୍ଲିକାର ରାଜସଂସ୍କରଣ,

ସୁନ୍ଦର ଶ୍ରୀଅଙ୍ଗେ ଶୋଭା ରତ୍ନ ଆଭରଣ ।

 

ଶୋଭାବତୀ ଗୁଣବତୀ ରସବତୀ ପୁଣି,

ସୁକୁମାର ତନୁ ତୋର ଧିକ୍କାରେ ଲହୁଣୀ ।

 

ଫୁଲକୁଳେ ତୁହି ଏକା ରାଜରାଜେଶ୍ୱରୀ,

ଖଟଣି ନିଯୋଗେ ତୋତେ ଖଟନ୍ତି ଭ୍ରମରୀ ।

 

ସୁନ୍ଦର କେଶର ଦିବ୍ୟ ଜ୍ୟୋତିରେ ଭାସ୍ୱର,

ଯେସନ ଆରକ୍ତ ଆଭା ଧବଳ ଚାମର ।

 

ବୋଳା ତହିଁ ଘନସାର ଚନ୍ଦନର ରେଣୁ,

ରସରାଜ ମଧୁପର କି ସେ ରୂପାବେଣୁ ।

 

ରାଣୀ ପ୍ରାୟ ମୂର୍ତ୍ତି ତୋର ଗମ୍ଭୀର ଉଦାର,

ଛାମୁରେ ପଢ଼ନ୍ତି ଭୃଙ୍ଗ-ଭାଟେ ରାୟବାର ।

 

ମର୍କତ ଦୋଳାରେ ବସି ଖେଳୁ ଦୋଳି ଖେଳ,

ବାତେ ଉଡ଼େ ଫରଫରେ ପତ୍ର-ନୀଳଚେଳ ।

 

ଅମରୀ ତୁ, ଆସୁ ପରା ମର୍ତ୍ତ୍ୟ ପର୍ଯ୍ୟଟନେ,

ସ୍ୱପ୍ନମୟ ପ୍ରାଣ ତୋର କଟିଯାଏ ସ୍ୱପ୍ନେ ।

 

ଜଗତ ଜଞ୍ଜାଳ ଜାଳା ନ ଛୁଉଁଣୁ ତୋତେ,

ଭାସି ଚାଲିଯାଉ କାହିଁ ନିଜ ଇଚ୍ଛାସ୍ରୋତେ ।

 

କାଳ ତୋତେ ପାରେ ନାହିଁ କରି ବଶୀଭୂତ,

ପଳାଇ ଯାଉ ତୁ ଖରେ ବିତରି ଅମୃତ ।

 

ହରଗଉରା

 

ବିଜେ ହରଗୌରା ବେନି ଏକ ଆସନରେ,

ମଧୁର ସୁନ୍ଦର ହାସ୍ୟ ବିମ୍ବାଧରୁ ଝରେ ।

 

ବେନି ତନୁ ଭିନ୍ନ, ମାତ୍ର ମନ ପ୍ରାଣ ଏକ,

ହରଗଉରାର ଏ ଯେ ରାଜ ଅଭିଷେକ ।

 

ମିଳନର ମହୋତ୍ସବ ଲାଗିଛି ନୀରବେ ,

ହୃଦୟ-ଭଣ୍ଡାର ପୂର୍ଣ୍ଣ ପ୍ରଣୟ-ବିଭବେ ।

 

କି ଗଭୀର ଭାବପୂର୍ଣ୍ଣ ହରଗୌରା ମୂର୍ତ୍ତି,

ଅର୍ଦ୍ଧହର ପୁଣି ଅର୍ଦ୍ଧ-ଗଉରା ଆକୃତି ।

 

ବର୍ଷାସଖୀ ହରଗୌରେ, ଶରତର ବଧ,

ଗନ୍ଧ ସିନା ନାହିଁ ତୋର, ମାତ୍ର ଅଛି ମଧୁ ।

 

ରମଣୀକୁଳର ତୁହି ପ୍ରସାଧନ–ବିତ୍ତ,

କରନ୍ତି ସେ କରତଳ ତୋ ରସେ ରଞ୍ଜିତ ।

 

ପବିତ୍ର ତେ ଦେହପ୍ରାଣ କଳ୍ମଷ-ବର୍ଜିତ,

ମଣନ୍ତି ନିଜକୁ ତେଣୁ ତୋ ସ୍ପର୍ଶେ ପବିତ୍ର ।

 

କାମରୂପୀ ଫୁଲ ତୁହି ଧରୁ ନାନାବର୍ଣ୍ଣ,

ଦୁର୍ଦ୍ଦିନେ ଉଜ୍ଜ୍ୱଳେ ଦିଗ ତୋ ଦୀପ୍ତ କିରଣ ।

 

କିମ୍ପା ଘନଘନ ଏତେ ବଦଳାଉ ରୂପ,

ତୋର ପ୍ରିୟସଖୀ ଚିନା-ଗୋଲାପ ସ୍ୱରୂପ ।

 

ବୁଝିଲି ବୁଝିଲି ତୋର ସ୍ୱଭାବର ମର୍ମ,

ନିତ୍ୟ ନୂତନତା ପରା ତୋର ଚିରଧର୍ମ ।

 

ବଣିଆଝଟା

 

ବଣରେ ବଣିଆଝଟା କରିଥାଏ ବାସ,

ତୁଚ୍ଛ ଜ୍ଞାନେ ନ ମାଡ଼ନ୍ତି କେହି ତାହା ପାଶେ ।

 

କେତେ କଥା ସଂସାରେ ବା ମନୁଷ୍ୟକୁ ଜଣା,

ନ ଜାଣେ ଯା ଗୁଣ, ତାକୁ ମଣେ ସେ ଅଲଣା ।

 

ସାନଦେହେ ଥାଏ ବି ତ ବିରାଟ ଶକତି,

ନ ବୁଝି କରିବା ତୁଚ୍ଛ ଅବିଚାର ଅତି ।

 

ଉଜାଣି ସୁଅରେ ଉଠେ ଦୁର୍ବଳ ଶଫରୀ,

ମାତ୍ର ତାହା ପାରେ ନାହିଁ ବଳବନ୍ତ କରୀ ।

 

ଅତିକ୍ଷୁଦ୍ର ମହୁମାଛି ଫୁଲୁଁ ଶେଷେ ମଧୁ,

ପରାଜୟ ମାନେ ତହିଁ ମାନବ ବୀରଧୁ ।

 

ବଣିଆଝଟାର ହେରି ସୂକ୍ଷ୍ମ କାରିଗରୀ,

କେ କରିବ ହତାଦର ସତ୍ୟକୁ ନ ଡରି ।

 

ପିନ୍ଧିଛି ସେ ମସ୍ତକରେ ହୀରକ ମୁକୁଟ,

ଦିଆ ହୋଇଅଛି ତହିଁ ସ୍ନିଗ୍‍ଧ ଗନ୍ଧପୁଟ ।

 

ଝୁଲୁଅଛି କେରା କେରା ହୋଇ ଜରି ଝରା,

ସେ ମୁକୁଟ ଜ୍ୟୋତିର୍ମୟ ରତ୍ନର ପସରା ।

 

କଳାକୁଶଳୀ ସେ – ନୁହେଁ ହେୟ ହୀନମାନ,

ସୁରଶିଳ୍ପୀ ବିଶ୍ୱକର୍ମା ସଙ୍ଗେ ସେ ସମାନ ।

 

ଭୈଷଜ୍ୟ ଶାସ୍ତ୍ରରେ ତାର ଅସୀମ ପ୍ରଭାବ,

ତା’ ଭଳି ଦଧୀଚିଧର୍ମୀ ମାନବେ ଅଭାବ ।

 

ଆଛୁ

 

ରୂପା–ତୂରୀ ଧରି ଆଛୁ ହୋଇଅଛୁ ଠିଆ,

ଋତୁରାଜା ବସନ୍ତର ତୁ ପରା ତୂରିଆ ।

 

କି ମହକ ଆହା ତୋର ସ୍ନିଗ୍‍ଧ ସୁମଧୁର,

ବାୟୁ-ବାହନରେ ଚଢ଼ି ଭ୍ରମେ ବହୁଦୂର ।

 

ରୂପ-ହାଟେ ଅଚିହ୍ନା ତୁ ଗୁଣହାଟେ ଚିହ୍ନା,

ରୂପର ତ କଡ଼େ ମୂଲ ନାହିଁ ଗୁଣ ବିନା ।

 

ଗୁଣ ଥିଲେ ରୂପ ସିନା ଦିଶିବ ସୁନ୍ଦର,

ରୂପ କ୍ଷଦ୍ର ବିନ୍ଦୁ, ଗୁଣ ଅପାର ସାଗର ।

 

ଗୁଣଗ୍ରାହୀ ଋତୁରାଜ ଚିହ୍ନିଅଛି ତତେ,

ମହତ ବିନା ବା କିଏ ଚିହ୍ନିବ ମହତେ ।

 

ହେଉ ପଛେ କଦାକାର ନେତ୍ରର ଅଲୋଭା,

ସ୍ୱଭାବ ସୁନ୍ଦର ଯାର ଶୋଭାର ସେ ଶୋଭା ।

 

କେତେ ଗନ୍ଧହୀନ ଫୁଲ ବିଖ୍ୟାତ ଜଗତେ,

ଗନ୍ଧରାଜ ହୋଇ ତୁହି ରହିଛୁ ଗୁପତେ ।

 

କେଉଁ ଅପଦେବତାର ଏହା ଅଭିଶାପ,

କିମ୍ବା ତୋ କୋଷ୍ଠୀରେ କେଉଁ କୁଗ୍ରହ ପ୍ରତାପ ।

 

ପଣ୍ଡିତ ତୁ, କରୁ ନାହିଁ ଭ୍ରୂକ୍ଷେପ ସେ ପ୍ରତି,

ଅନାଦାର ସମାଦର ସମାନ ତୋ କତି ।

 

ନାମ କିଣିବାକୁ ତୋର ନାହିଁ ଅଭିଳାଷ,

ପ୍ରଶଂସା କାଙ୍ଗାଳୀ ନୋହୁ, ପ୍ରଶଂସା ତୋ ଦାସ ।

 

କୁରୁବକ

 

କଣ୍ଟକ-ଦୁର୍ଗବାସିନୀରେ ଗୁଳ୍ମସୁନ୍ଦରୀ,

ବୋଲାଉ ତୁ ସହଚରୀ, କାର ସହଚରୀ ?

ଅଗମ୍ୟ ଦୁର୍ଗରେ ତୋର କିଏ ସହଚର,

ଭେଦିପାରେ ନାହିଁ ତାହା ସାହସୀ ଭ୍ରମର ।

 

ବୀରବାଳା ତୁହି, ବହୁ ବୀର ପ୍ରହରଣ,

କରୁ ତହିଁ ଆତ୍ମ ରକ୍ଷା ସତୀତ୍ୱ ରକ୍ଷଣ ।

 

ପାତିବ୍ରତ୍ୟ ଶରୀରରେ ତୋର ବଜ୍ରବର୍ମ,

ହରି ନ ପାରନ୍ତି କେହି ତୋର ନାରୀଧର୍ମ ।

 

ଅଚେତନ ହୋଇ ବୁଝୁ ଧର୍ମର ମହତ୍ତ୍ୱ,

ପ୍ରଚାରୁ ନୀରବ ଭାଷେ ଧର୍ମ ଗୁଢ଼ ତତ୍ତ୍ୱ ।

 

ତୋହୋ ପରି ଫୁଲେ ଏକା ବିଶ୍ୱେ ଧର୍ମପ୍ରାଣ,

ସଚେତନ ନର ଜାଣି ହୁଅନ୍ତି ଅଜାଣ ।

 

କ୍ରିୟାହୀନ ଜ୍ଞାନ ଖାଲି ଶରୀରର ଭାର,

ମାତ୍ର କାର୍ଯ୍ୟକାରୀ ଜ୍ଞାନ ରତ୍ନ ଅଳଙ୍କାର ।

 

ଫୁଲସତୀ, ପ୍ରାଣ ମୋର ଚିର ହାହାମୟ,

କେଉଁ ଉପାୟରେ ହେବ ତୋର ପରିଚୟ ।

 

କହିଦେ ତୁ ମୋତେ ତାହା ହୋଇ ଦୀକ୍ଷାଗୁରୁ,

ଏ ସଂସାର ଦେଖି ମୋତେ ନଚାଉଛି ଭୂରୁ ।

 

ତା ପାଲୁ ନିର୍ଭୟ ହେବି ତୋହରି ପ୍ରସାଦେ,

ଏତିକି ମାଗୁଣି ମୋର ସତୀ ପୁଣ୍ୟପାଦେ ।

 

ବଣମଲ୍ଲି

 

କେଉଁ ବଣେ ବଣମଲ୍ଲି ବସିଛୁ ଲୋ ଲୁଚି,

ଚନ୍ଦ୍ର ସୂର୍ଯ୍ୟ ଦେଖା ପରା ନୁହେଁ ତୋର ରୁଚି ।

 

ଗିରିମଲ୍ଳୀ-କୂଟଜ ବୃକ୍ଷ

ଲୁଚିଥା ପଛକେ ଢାଙ୍କି ଶରୀର ମସ୍ତକ,

ଦେଖାଇ ଦେଉଛି ତୋତେ ତୋହରି ମହକ ।

 

ଦେଖିଲିଣି, ଚାହିଁ ଦେଇ ଲୁଚିଯାଉ ଚାଣ୍ଡେ,

ବଣମଲ୍ଲି, ଆଲିଙ୍ଗିଛୁ ଗିରିମଲ୍ଲୀ କାଣ୍ଡେ ।

 

ବରିଅଛୁ ଯୋଗ୍ୟପାତ୍ରେ, କିମ୍ପା ଏତେ ଲାଜ,

ତୋ ବରର ପ୍ରିୟବନ୍ଧ ନିଜେ ଘନରାଜ ।

 

କି କହିବି ଅଧିକ ଲୋ ତୋ କାନ୍ତ ସମ୍ବନ୍ଧେ,

ମହାକବି କାଳିଦାସ ମୋହିତ ଯା ଗନ୍ଧେ ।

 

ତୁ ତାହାର ଯୋଗ୍ୟ ସଖୀ ରାଜାରାଣୀ ପରି,

କ୍ଷୀଣଦେହେ ରଖିଅଛୁ କେତେ ଗୁଣ ଭରି ।

 

ତାର ପ୍ରୀତିଫୁଲ ଝଡ଼ି ତୋ ଫୁଲ ଉପରେ,

ପ୍ରେମର ପୁଲକ ବନ୍ୟା ବହାଏ ପ୍ରଖରେ ।

 

ସେ ପୁଲକେ ମିଶିଯାଏ ହୃଦୟେ ହୃଦୟ,

ବାରିହୁଏ ନାହିଁ ତାହା ଉଭୟେ ତନ୍ମୟ ।

 

ବଲ୍ଲି-ବାଳାକୁଳେ ଧନ୍ୟ ତୁ ଲୋ ଭାଗ୍ୟବତୀ,

ପାଇଅଛୁ ମନୋମତ ଭାଗ୍ୟଧର ପତି ।

 

ଆଶୀର୍ବାଦ କରେ କବି –ହେ ନବଦମ୍ପତି,

ଚିରସୁଖୀ ହୁଅ ଯଥା ଶଙ୍କର ପାର୍ବତୀ ।

 

ହେନାଫୁଲ

 

ଏ କିସ ରେ ହେନାରାଣି ! ହସୁଛୁ ଉଷାରେ,

ରାତିସାରା ଉଜାଗରେ ତିନ୍ତୁଛୁ ତୁଷାରେ ।

 

ରଜନୀ-ସଜନୀ ତୁହି ହେମାଙ୍ଗିନୀ ହେନା,

ମଞ୍ଚେ ଅବତୀର୍ଣ୍ଣ କିବା ସ୍ୱର୍ଗାପ୍‍ସରା ମେନା ।

 

ବନସ୍ପତି ରାଜଜେମା ଅଲେଳ ସ୍ୱଭାବ,

ନାହିଁ ମନେ କେତେବେଳେ ଖୁସିର ଅଭାବ ।

 

ଲେନ୍ତି ଲେନ୍ତି ହୀରାମୋତି ମଣିରତ୍ନ ଆଦି,

ଅଳଙ୍କାରେ ରଖିଅଛୁ ସର୍ବାଙ୍ଗ ଆଚ୍ଛାଦି ।

 

ଝଲମଲେ ସ୍ୱର୍ଣ୍ଣଝରା ଲମ୍ବି କେରା କେରା,

ସୁନ୍ଦର ପ୍ରକୃତି ତୋର ସୁନ୍ଦର ଚେହେରା ।

 

ଏତେ ଅଳଙ୍କାର ଭଲା କିପଁ । ଅଙ୍ଗେ ଭରୁ,

ସାବଧାନ, ଭାଙ୍ଗିଯିବ କଟି ତୋର ସରୁ ।

 

ସନ୍ଧ୍ୟା ହେଲେ ମେଲିଦେଉ ଗନ୍ଧର ବିପଣୀ,

କବି-ବାଣୀଜିଣା ତୋର ସୁଷମା ଟିପ୍‍ପଣୀ ।

 

ନାହିଁ ତୋ ଗନ୍ଧରେ ବ୍ୟଥା, ପୂର୍ଣ୍ଣ ସେ ପୁଲକେ ।

 

ତଡ଼ିଦିଏ ଅବସାଦ ହୃଦୟୁ ପଲକେ ।

 

ଦୂଷିତ ପବନେ କରି ସୁଗନ୍ଧିତ ଶୁଦ୍ଧ,

ବିଶ୍ୱତୋଷ ସାଧୁ ତୁହି ଯେସନେ ବିବୁଧ ।

 

ଜ୍ୟୋତ୍ସ୍ନା-ସ୍ନାନେ ତନୁ ତୋର ଦ୍ୱିଗୁଣ ଝଟକେ ।

 

ମୋହିନେଉ ପ୍ରାଣମନ ପ୍ରଚ୍ଛନ୍ନେ ଛଟକେ ।

ଉଗ୍ର ନୋହୁ କୋମଳ ତୁ, ସୁରୁଚି-ସଂଯତା,

ଦାନ ତ୍ୟାଗ ତୋହଠାରୁ ଶିଖିବେ ଦେବତା ।

 

ପୁଷ୍ପ-କରେ କରୁ ଯେବେ ମର୍ଦ୍ଦନ ମୋ କର,

ନର ହୋଇ ତେତେବେଳେ ହୁଏ ମୁଁ ଅମର ।

 

କି ଶୀତଳ ସ୍ପର୍ଶ ତୋର କେଡ଼େ ସେ କୋମଳ,

ଗନ୍ଧ-ଅନ୍ଧ ଅଳିକୁଳେ କରୁ ତୁ ପାଗଳ ।

 

କୁସୁମ ସ୍ତବକ ଭାରେ ପଡ଼ିଅଛୁ ନଇଁ,

ଅତି ସମ୍ପଦରେ ବିଜ୍ଞେ ହୁଅନ୍ତି ବିନୟୀ ।

 

ପର ପାଇଁ ମଧୁ-ଧନ କରୁ ତୁ ସଞ୍ଚୟ,

ଅନ୍ତର ବାହାର ତୋର ସବୁ ମଧୁମୟ ।